1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପୂର୍ବ ପରି ଦୁଇ ପ୍ରସ୍ତର ପଟା ଖୋଳ। ତୁମ୍ଭେ ଯେଉଁ ପ୍ରସ୍ତର ପଟା ଭାଙ୍ଗିଅଛ, ତହିଁ ଉପରେ ଯାହା ଯାହା ଲେଖାଥିଲା, ସେହି ସବୁ କଥା ଆମ୍ଭେ ଏହି ଦୁଇ ପ୍ରସ୍ତରରେ ଲେଖିବା।
2ଆଉ ତୁମ୍ଭେ ପ୍ରାତଃକାଳରେ ପ୍ରସ୍ତୁତ ହୁଅ ଓ ପ୍ରାତଃକାଳରେ ସୀନୟ ପର୍ବତ ଆରୋହଣ କରି ସେଠାରେ ପର୍ବତ ଶୃଙ୍ଗରେ ଆମ୍ଭ ନିକଟରେ ଉପସ୍ଥିତ ହୁଅ।
3ମାତ୍ର ତୁମ୍ଭ ସଙ୍ଗେ ଆଉ କେହି ଉପରକୁ ଆସିବେ ନାହିଁ, ପୁଣି, ଏହି ସମୁଦାୟ ପର୍ବତରେ କେହି ଦେଖା ନ ଯିବେ ଓ ଗୋମେଷାଦି ପଲ ମଧ୍ୟ ଏହି ପର୍ବତ ସମ୍ମୁଖରେ ଚରିବେ ନାହିଁ।”
4ତହୁଁ ମୋଶା ପ୍ରଥମ ପ୍ରସ୍ତର ପରି ଦୁଇ ପ୍ରସ୍ତର ପଟା ଖୋଳିଲେ; ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରଭାତରେ ଉଠି ସୀନୟ ପର୍ବତ ଉପରକୁ ଗଲେ ଓ ସେହି ଦୁଇ ପ୍ରସ୍ତର ପଟା ହସ୍ତରେ ନେଲେ।