1ତହିଁ ଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରି କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
2ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।
3ତୁମ୍ଭେମାନେ ବିଶ୍ରାମବାରରେ ଆପଣାମାନଙ୍କ କୌଣସି ବାସ ସ୍ଥାନରେ ଅଗ୍ନି ଜାଳିବ ନାହିଁ।”
4ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଆହୁରି କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
5ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,