24ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍, ନୈବେଦ୍ୟର; ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେ ଅଣତିରିଶ ତାଳନ୍ତ ସାତ ଶହ ତିରିଶ ଶେକଲ ଥିଲା।
25ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକ ଶହ ତାଳନ୍ତ ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ଥିଲା।
26ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ, ଅର୍ଥାତ୍, ଯେଉଁମାନେ ବିଂଶତି ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି ଛଅ ଲକ୍ଷ ତିନି ସହସ୍ର ପାଞ୍ଚ ଶହ ପଚାଶ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲାନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେବାକୁ ହୋଇଥିଲା।
27ଏଣୁ ସେହି ଏକ ଶହ ତାଳନ୍ତ ରୂପାରେ ପବିତ୍ର ସ୍ଥାନର ଓ ବିଚ୍ଛେଦ ବସ୍ତ୍ରର ଚୁଙ୍ଗୀ ଢଳାଗଲା; ଏକ ଶହ ଚୁଙ୍ଗୀ ନିମନ୍ତେ ଏକ ଶହ ତାଳନ୍ତ, ଅର୍ଥାତ୍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ତାଳନ୍ତ ବ୍ୟୟ ହେଲା।
28ପୁଣି, ସେହି ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କୁଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ବନ୍ଧନୀରେ ସଂଯୁକ୍ତ କଲେ।