1ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
2ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ);
3ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
4ପୁଣି, କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।