10ତହୁଁ ସେମାନେ ଭାଟିର ଭସ୍ମ ନେଇ ଫାରୋ ଆଗରେ ଠିଆ ହେଲେ; ପୁଣି, ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା।
11ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସରୀୟମାନଙ୍କ ଶରୀରରେ ବଥ ଜାତ ହେଲା।
12ଏଥିଉତ୍ତାରେ ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
13ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୋଇ ତାହାଙ୍କୁ ଏହି କଥା କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ;
14ନୋହିଲେ ଏହିଥର ଆମ୍ଭେ ତୁମ୍ଭ ହୃଦୟ ବିରୁଦ୍ଧରେ, ପୁଣି, ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା; ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହାନ୍ତି, ଏହା ତୁମ୍ଭେ ଜ୍ଞାତ ହେବ।