43ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।
44ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ‘ମାତା ଯେସନ, କନ୍ୟା ତେସନ।’
45ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା।
46ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
47ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେ କରି, ତୁମ୍ଭେ ଆପଣାର ସମସ୍ତ ଆଚାରବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ।