17ଯେ ଦରିଦ୍ର ପ୍ରତି ଉପଦ୍ରବରୁ ଆପଣା ହସ୍ତ ଫେରାଇଅଛି, ସୁଧ କି ବୃଦ୍ଧି ଗ୍ରହଣ କରି ନାହିଁ, ଆମ୍ଭର ଶାସନସକଳ ପାଳନ କରିଅଛି, ଆମ୍ଭ ବିଧି ଅନୁଯାୟୀ ଆଚରଣ କରିଅଛି; ସେ ଆପଣା ପିତାର ଅଧର୍ମ ସକାଶୁ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ।
18ମାତ୍ର ତାହାର ପିତା ନିର୍ଦ୍ଦୟ ଭାବରେ ଉପଦ୍ରବ କଲା, ଦୌରାତ୍ମ୍ୟ ଦ୍ୱାରା ଆପଣା ଭ୍ରାତାର ଦ୍ରବ୍ୟ ଅପହରଣ କଲା ଓ ଆପଣା ଲୋକମାନଙ୍କ ମଧ୍ୟରେ ଅନୁଚିତ କାର୍ଯ୍ୟ କଲା, ଏଥିପାଇଁ ଦେଖ, ସେ ଆପଣା ଅଧର୍ମରେ ମରିବ।
19ତଥାପି ତୁମ୍ଭେମାନେ କହୁଅଛ, କାହିଁକି ପୁତ୍ର ପିତାର ଅଧର୍ମର ଭାର ବହେ ନାହିଁ? ପୁତ୍ର ଯଦି ନ୍ୟାୟ ଓ ଧର୍ମାଚରଣ କରିଅଛି, ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିଅଛି, ତେବେ ସେ ନିଶ୍ଚୟ ବଞ୍ଚିବ।
20ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।
21ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।