24କାରଣ ସେମାନେ ଆମ୍ଭର ଶାସନସକଳ ପାଳନ କଲେ ନାହିଁ, ମାତ୍ର ଆମ୍ଭର ବିଧିସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ, ପୁଣି, ସେମାନଙ୍କ ପିତୃବର୍ଗର ପ୍ରତିମାଗଣ ପ୍ରତି ସେମାନଙ୍କର ଦୃଷ୍ଟି ରହିଲା।
25ଆହୁରି ମଧ୍ୟ ଯାହା ସେମାନଙ୍କର ମଙ୍ଗଳଜନକ ନୁହେଁ, ଏପରି ବିଧି ଓ ଯହିଁରେ ସେମାନେ ବଞ୍ଚିବେ ନାହିଁ, ଏପରି ଶାସନସବୁ ଆମ୍ଭେ ସେମାନଙ୍କୁ ଦେଲୁ;
26ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଯେପରି ସେମାନେ ଜାଣିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ବିନାଶ କରିବା ନିମନ୍ତେ, ସେମାନେ ଗର୍ଭାଶୟ ମୁକ୍ତକାରୀ ସମସ୍ତ ସନ୍ତାନକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଦ୍ୱାରା ଯେଉଁ ଉପହାର ପ୍ରଦାନ କଲେ, ତହିଁରେ ଆମ୍ଭେ ସେମାନଙ୍କୁ ଅଶୁଚି କରାଇଲୁ।
27ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ସଙ୍ଗେ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ଏଥିରେ ମଧ୍ୟ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଆମ୍ଭର ନିନ୍ଦା କରିଅଛନ୍ତି।
28କାରଣ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଥିଲୁ, ସେହି ଦେଶକୁ ଯେତେବେଳେ ସେମାନଙ୍କୁ ଆଣିଲୁ, ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେହି ସ୍ଥାନରେ ବଳିଦାନ କଲେ ଓ ସେହି ସ୍ଥାନରେ ସେମାନେ (ଆମ୍ଭର) ବିରକ୍ତିଜନକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସ୍ଥାନରେ ମଧ୍ୟ ଆପଣାମାନଙ୍କର ସୁଗନ୍ଧିଯୁକ୍ତ ଦ୍ରବ୍ୟ ରଖିଲେ ଓ ସେହି ସ୍ଥାନରେ ଆପଣାମାନଙ୍କର ପେୟ-ନୈବେଦ୍ୟ ଢାଳିଲେ।