27ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ସଙ୍ଗେ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ଏଥିରେ ମଧ୍ୟ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଆମ୍ଭର ନିନ୍ଦା କରିଅଛନ୍ତି।
28କାରଣ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଥିଲୁ, ସେହି ଦେଶକୁ ଯେତେବେଳେ ସେମାନଙ୍କୁ ଆଣିଲୁ, ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେହି ସ୍ଥାନରେ ବଳିଦାନ କଲେ ଓ ସେହି ସ୍ଥାନରେ ସେମାନେ (ଆମ୍ଭର) ବିରକ୍ତିଜନକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସ୍ଥାନରେ ମଧ୍ୟ ଆପଣାମାନଙ୍କର ସୁଗନ୍ଧିଯୁକ୍ତ ଦ୍ରବ୍ୟ ରଖିଲେ ଓ ସେହି ସ୍ଥାନରେ ଆପଣାମାନଙ୍କର ପେୟ-ନୈବେଦ୍ୟ ଢାଳିଲେ।
29ତହିଁରେ ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ଯେଉଁ ଉଚ୍ଚସ୍ଥଳୀକି ଯାଅ, ତାହାର ଅଭିପ୍ରାୟ ଏହି କି? ଏଣୁ ଆଜି ପର୍ଯ୍ୟନ୍ତ ତହିଁର ନାମ ବାମା (ଉଚ୍ଚସ୍ଥଳୀ) ରହିଅଛି।
30ଏଣୁକରି ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ କି ଆପଣାମାନଙ୍କର ପୂର୍ବପୁରୁଷଗଣର ରୀତି ଅନୁସାରେ ଆପଣାମାନଙ୍କୁ ଅଶୁଚି କରୁଅଛ? ଓ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ବ୍ୟଭିଚାରୀ ହେଉଅଛ?
31ଆଉ, ଯେତେବେଳେ ତୁମ୍ଭେମାନେ ଆପଣା ଆପଣା ଉପହାର ଦାନ କରୁଅଛ, ଆପଣା ଆପଣା ସନ୍ତାନଗଣକୁ ଅଗ୍ନି ମଧ୍ୟଦେଇ ଗମନ କରାଉଅଛ, ସେତେବେଳେ ତୁମ୍ଭେମାନେ କି ଆଜି ପର୍ଯ୍ୟନ୍ତ ଆପଣା ଆପଣା ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରୁ ନାହଁ? ତେବେ ହେ ଇସ୍ରାଏଲ ବଂଶ, ଆମ୍ଭେ କି ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବାକୁ ଦେବା? ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବା ପାଇଁ ଦେବା ନାହିଁ;