21ହଁ, ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧରୂପ ଅଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହୁଁ ତୁମ୍ଭେମାନେ ତହିଁ ମଧ୍ୟରେ ତରଳି ଯିବ।
22ଯେପରି ରୂପା ଉହ୍ମେଇ ମଧ୍ୟରେ ତରଳାଯାଏ, ସେହିପରି ତୁମ୍ଭେମାନେ ତହିଁ ମଧ୍ୟରେ ତରଳା ଯିବ; ତହିଁରେ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଯେ ଆପଣା କୋପ ଢାଳିଅଛୁ, ଏହା ତୁମ୍ଭେମାନେ ଜାଣିବ।”
23ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
24“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ତାହାକୁ କୁହ, ଯେଉଁ ଦେଶ ପରିଷ୍କୃତ ହୋଇ ନାହିଁ, କିଅବା କ୍ରୋଧର ଦିନରେ ଯହିଁ ଉପରେ ବୃଷ୍ଟି ହୋଇ ନାହିଁ, ତୁମ୍ଭେ ଏପରି ଦେଶ ଅଟ।
25ତାହାର ଭବିଷ୍ୟଦ୍ବକ୍ତାମାନେ ତହିଁ ମଧ୍ୟରେ ଚକ୍ରାନ୍ତ କରନ୍ତି, ସେମାନେ ମୃଗୟା ବିଦାରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ପରି; ସେମାନେ ପ୍ରାଣୀମାନଙ୍କୁ ଗ୍ରାସ କରିଅଛନ୍ତି; ସେମାନେ ଧନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ତହିଁ ମଧ୍ୟରେ ଅନେକଙ୍କୁ ବିଧବା କରିଅଛନ୍ତି।