33ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ୱଂସରୂପ ପାତ୍ରରେ, ତୁମ୍ଭ ଭଗିନୀ ଶମରୀୟାର ପାତ୍ରରେ ପରିପୂର୍ଣ୍ଣ ହେବ।
34ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ଡ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
35ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”
36ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;
37କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।