7ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।
8ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ୍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା।
9ପୁଣି, ମିସର ଦେଶ ଧ୍ୱଂସିତ ଓ ଶୂନ୍ୟସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’
10ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି, ଆମ୍ଭେ ମିଗ୍ଦୋଲଠାରୁ ସିବେନୀ ଦୁର୍ଗ ପୁଣି କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତାନ୍ତ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବା।
11କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି ସ୍ଥାନ ନୋହିବ।