3କାରଣ ସେହି ଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେହି ଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟଦେଶୀୟମାନଙ୍କର କାଳ ହେବ।
4ପୁଣି, ମିସର ବିରୁଦ୍ଧରେ ଖଡ୍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଧନସମ୍ପତ୍ତି ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ।
5କୂଶ ଓ ପୂଟ୍ ଓ ଲୁଦ୍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି, କୂବ୍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ୍ଗରେ ପତିତ ହେବେ।
6ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ମିଗ୍ଦୋଲଠାରୁ ସିବେନୀ ଦୁର୍ଗ ପର୍ଯ୍ୟନ୍ତ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ୍ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
7ପୁଣି, ସେମାନେ ଧ୍ୱଂସିତ ନଗରସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ।