9ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ୱାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ।
10ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
11ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ।
12ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି।
13ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;