14ଏଥିପାଇଁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିଅବା ତୁମ୍ଭ ଦେଶୀୟମାନଙ୍କର ନାଶ ଆଉ କରିବ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
15ଅଥବା ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଅପମାନ ବାକ୍ୟ ଆଉ ଶୁଣାଇବା ନାହିଁ ଓ ତୁମ୍ଭେ ଗୋଷ୍ଠୀୟମାନଙ୍କର ନିନ୍ଦାବାକ୍ୟର ଭାର ଆଉ ବହିବ ନାହିଁ ଓ ନିଜ ଦେଶୀୟମାନଙ୍କର ବିଘ୍ନ ଆଉ ଜନ୍ମାଇବ ନାହିଁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
16ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
17“ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ନିଜ ଦେଶରେ ବାସ କରିବା ବେଳେ ସେମାନେ ଆପଣାମାନଙ୍କର ଆଚରଣ ଓ କ୍ରିୟା ଦ୍ୱାରା ତାହା ଅଶୁଚି କଲେ; ସେମାନଙ୍କର ଆଚରଣ ଆମ୍ଭ ସାକ୍ଷାତରେ ସ୍ତ୍ରୀଲୋକର ପୃଥକ ସ୍ଥିତିକାଳୀନ ଅଶୌଚର ତୁଲ୍ୟ ଥିଲା।
18ଏନିମନ୍ତେ ସେମାନେ ଦେଶରେ ରକ୍ତ ଢାଳିବା ସକାଶୁ ଓ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଢାଳିଲୁ,