1ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର ଛଅ ଦିନସାରା ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ।
2ପୁଣି, ଅଧିପତି ବାହାର ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରି ଦ୍ୱାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ୱାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ।
3ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।
4ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ।
5ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ।