10ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ।
11ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ।
12ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”
13ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ତୁମ୍ଭେମାନେ ଇସ୍ରାଏଲ ବଂଶର ଦ୍ୱାଦଶ ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି; ଯୋଷେଫ ଏକରୁ ଅଧିକ ଅଂଶ ପାଇବ।
14ଆଉ, ତୁମ୍ଭମାନଙ୍କର ଏକ ଯେପରି, ଅନ୍ୟ ସେହିପରି, ତାହା ଉତ୍ତରାଧିକାର ରୂପେ ପାଇବ; ତଦ୍ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ।