10ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ।
11ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେହିପରି ବିପଥଗାମୀ ହେଲେ ନାହିଁ।
12ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ।
13ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ।
14ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।