9ପୁଣି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ;
10ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ନିମନ୍ତେ ପ୍ରାର୍ଥନା କରିବେ।
11ଆହୁରି ମୁଁ ଆଜ୍ଞା କରୁଅଛି ଯେ, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ।
12ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।”
13ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ତତ୍ତନୟ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ।