3“କୋରସ୍ ରାଜାଙ୍କ ରାଜତ୍ଵର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୂଶାଲମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ;
4ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ;
5ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।”
6“ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ;
7ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱ ସ୍ଥାନରେ ନିର୍ମାଣ କରନ୍ତୁ।