21ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।
22କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା; “ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି; ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି।” ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ।
23ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ।
24ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି;
25ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;