18କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ବର ପ୍ରତିଜ୍ଞା ଦ୍ୱାରା ଅବ୍ରହାମଙ୍କୁ ତାହା ଦାନ କରିଅଛନ୍ତି।
19ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।
20ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ବର ଏକ।
21ତେବେ ମୋଶାଙ୍କ ବ୍ୟବସ୍ଥା କି ଈଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାଆନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା।
22କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।