7ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,
8“ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି, କେଉଁଠାକୁ ଯିବ?” ତହିଁରେ ସେ କହିଲା, “ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।”
9ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରିଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ।”
10ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”
11ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।