37ତହୁଁ ଇସ୍ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?”
38ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।
39ତହୁଁ ତାହାର ପିତା ଇସ୍ହାକ ଉତ୍ତର ଦେଇ କହିଲେ, “ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ।
40ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ।”
41ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”