32ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ; ମୋʼ ଠାରେ ତୁମ୍ଭର ଯାହା ଅଛି, ତାହା ଆମ୍ଭମାନଙ୍କ କୁଟୁମ୍ବଗଣର ସାକ୍ଷାତରେ ଚିହ୍ନି କରି ନିଅ,” ଯେହେତୁ ଯାକୁବ ରାହେଲର ସେହି ଚୋରି କରିବା ବିଷୟ ଜାଣି ନ ଥିଲା।
33ତହୁଁ ଲାବନ ଯାକୁବର ତମ୍ବୁଗୃହ ଓ ଲେୟାର ତମ୍ବୁଗୃହ ଓ ଦୁଇ ଦାସୀର ତମ୍ବୁଗୃହକୁ ଯାଇ ଅନ୍ୱେଷଣ କଲା; ମାତ୍ର ପାଇଲା ନାହିଁ। ଏଣୁ ସେ ଲେୟାର ତମ୍ବୁଗୃହ ଛାଡ଼ି ରାହେଲର ତମ୍ବୁଗୃହରେ ପ୍ରବେଶ କଲା।
34ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ତହିଁରେ ଲାବନ ତାହାର ତମ୍ବୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ।
35ସେତେବେଳେ ରାହେଲ ପିତାକୁ କହିଲା, “ମୁଁ ଆପଣଙ୍କ ଛାମୁରେ ଉଠି ପାରିଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀଧର୍ମିଣୀ ହୋଇଅଛି।” ଏହିରୂପେ ସେ ଅନ୍ୱେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ।
36ତହୁଁ ଯାକୁବ କ୍ରୋଧ ହୋଇ ଲାବନକୁ ଭର୍ତ୍ସନା କଲା; ପୁଣି, ଯାକୁବ ଲାବନକୁ ଉତ୍ତର କରି କହିଲା, “ମୋହର କି ଦୋଷ ଓ କି ପାପ ହେଲା ଯେ, ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋʼ ପଛେ ପଛେ ଦୌଡ଼ି ଆସିଲ?