22ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯଦି ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ।
23ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ।”
24ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା।
25ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
26ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।