11ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍, ରାମିଷେଷ୍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ।
12ପୁଣି, ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟଦ୍ରବ୍ୟ ଦେଇ ପ୍ରତିପାଳନ କଲେ।
13ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା; ତହିଁରେ ମିସର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ।
14ଆଉ ମିସର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା, ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ।
15ଏଥିଉତ୍ତାରେ ମିସର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ, ମିସରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କୁ ଖାଦ୍ୟସାମଗ୍ରୀ ଦେଉନ୍ତୁ, ଆମ୍ଭମାନଙ୍କର ରୂପା ଶେଷ ହେଉଅଛି ବୋଲି କାହିଁକି ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ?”