17ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ,
18“ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।”
19ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।”
20ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ‘ପରମେଶ୍ୱର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ।’” ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ।
21ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।