5ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
6ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ।
7ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
8ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।
9ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ? ଏହି, ଆମ୍ଭର ଗୃହ ଭଗ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ।