1ହେ ଯାଜକଗଣ, ଏହା ଶୁଣ, ହେ ଇସ୍ରାଏଲ ବଂଶ, ମନୋଯୋଗ କର, ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ; ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ।
2ପୁଣି, ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି; ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ।
3ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ; କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି।
4ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ; କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।
5ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ; ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ।