15ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?”
16ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”
17ଅତି ଅଳ୍ପ କାଳ ଉତ୍ତାରେ ଲିବାନୋନ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ହେବ ନାହିଁ?
18ପୁଣି, ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି, ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ।
19ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।