1ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ।
2ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ।
3ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର।
4ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।”