11ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ; ଆମ୍ଭେମାନେ ବିଚାରର ଅପେକ୍ଷା କରୁ, ମାତ୍ର ତାହା ନାହିଁ; ପରିତ୍ରାଣର ଅପେକ୍ଷା କରୁ, ମାତ୍ର ତାହା ଆମ୍ଭମାନଙ୍କଠାରୁ ଦୂରରେ ଅଛି।
12କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
13ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
14ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି; ଛକସ୍ଥାନରେ ସତ୍ୟତାର ପତନ ହୋଇଅଛି ଓ ସରଳତା ପ୍ରବେଶ କରି ପାରୁ ନାହିଁ।
15ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ; ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।