8ଏପ୍ରକାର କଥା କିଏ ଶୁଣିଅଛି? ଏପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀୟ ଲୋକେ କି ଏକାବେଳେ ଜନ୍ମ ହେବେ? ସିୟୋନ ଗର୍ଭବେଦନା ପାଇବା ମାତ୍ରେ, ସେ ଆପଣା ସନ୍ତାନଗଣକୁ ପ୍ରସବ କଲା।
9ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରସବକାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ? ତୁମ୍ଭର ପରମେଶ୍ୱର କହନ୍ତି, ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭରୋଧ କରିବା?
10ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର;
11ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।”
12କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ୱର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟପାନ କରିବ ଓ ତୁମ୍ଭେମାନେ ବାହୁରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ।