2କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
3ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
4ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”
5ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ “ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ‘ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ;’ ମାତ୍ର ସେମାନେ ଲଜ୍ଜିତ ହେବେ।
6ନଗରରୁ କଳହର ରବ, ମନ୍ଦିରରୁ ରବ, ଯେ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦିଅନ୍ତି, ସେହି ସଦାପ୍ରଭୁଙ୍କର ରବ!