ଯିଶାଇୟ 66

କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।

Isaiah 66:2 (UKJV) For all those things has mine hand made, and all those things have been, says the LORD: but to this man will I look, even to him that is poor and of a contrite spirit, and trembles at my word.

1ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ-ସ୍ଥାନ ହେବ?

2କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।

3ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;

4ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.