8ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”
9ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକ ସମସ୍ତେ, ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ।
10ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ; ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।
11କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ଓ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ ନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ,
12ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; “ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ; କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ।