16ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେ ଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ; ପୁଣି, ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁୁଚ୍ଛାୟାରେ ଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ, ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ।
17ମାତ୍ର ଯଦି ତୁମ୍ଭେମାନେ ଏ କଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।
18ତୁମ୍ଭେ ରାଜାକୁ ଓ ରାଜମାତାକୁ କୁହ, “ତୁମ୍ଭେମାନେ ଆପଣାମାନଙ୍କୁ ନମ୍ର କରି ବସ; କାରଣ ତୁମ୍ଭମାନଙ୍କର ମସ୍ତକାଭରଣ, ଅର୍ଥାତ୍, ଗୌରବ ମୁକୁଟ ତଳେ ପଡ଼ିଅଛି।
19ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି ଓ ତାହା ଫିଟାଇବାକୁ କେହି ନାହିଁ; ସମୁଦାୟ ଯିହୁଦା ନିର୍ବାସିତ ହୋଇଅଛି; ତାହା ସମ୍ପୂର୍ଣ୍ଣ ରୂପେ ନିର୍ବାସିତ ହୋଇଅଛି।
20ତୁମ୍ଭେମାନେ ଚକ୍ଷୁ ଖୋଲି ଉତ୍ତର ଦିଗରୁ ଆସନ୍ତା ଲୋକମାନଙ୍କୁ ଦେଖ; ତୁମ୍ଭକୁ ଯେଉଁ ପଲ ଦତ୍ତ ହୋଇଥିଲା, ତୁମ୍ଭର ସେହି ସୁନ୍ଦର ପଲ କାହିଁ?