14ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହି ନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।
15ଏହେତୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ସେହି ଭବିଷ୍ୟଦ୍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।
16ପୁଣି, ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନେ ଦୁର୍ଭିକ୍ଷ ଓ ଖଡ୍ଗ ହେତୁରୁ ଯିରୂଶାଲମର ନାନା ସଡ଼କରେ ପକାଯିବେ; ପୁଣି, ସେମାନଙ୍କୁ ସେମାନଙ୍କ ଭାର୍ଯ୍ୟା ଓ ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ କବର ଦେବା ପାଇଁ କେହି ନ ଥିବେ; କାରଣ ଆମ୍ଭେ ସେମାନଙ୍କ ଦୁଷ୍ଟତା ସେମାନଙ୍କ ଉପରେ ଢାଳି ଦେବା।
17ଆଉ, ତୁମ୍ଭେ ସେମାନଙ୍କୁ ଏହି କଥା କହିବ, ‘ଦିବାରାତ୍ର ଆମ୍ଭ ଚକ୍ଷୁରୁ ଜଳଧାରା ବହୁ, ତାହା ନିବୃତ୍ତ ନ ହେଉ; କାରଣ ଆମ୍ଭ ଲୋକମାନଙ୍କର ଅନୂଢ଼ା କନ୍ୟା, ମହା କ୍ଷତରେ, ମହା ଦୁଃଖଦାୟକ ଆଘାତରେ ଭଗ୍ନ ହୋଇଅଛି।
18ଆମ୍ଭେ ଯଦି ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ଦେଖ, ସେଠାରେ ଖଡ୍ଗରେ ହତ ଲୋକ! ପୁଣି, ଆମ୍ଭେ ଯଦି ନଗରରେ ପ୍ରବେଶ କରୁ, ତେବେ ଦେଖ, ସେଠାରେ ଦୁର୍ଭିକ୍ଷରେ ପୀଡ଼ିତ ଲୋକ! କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’”