10ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମ ଦେଶ ଆଉ ଦେଖିବ ନାହିଁ।
11ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲୁମ୍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରିଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
12“ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ୱ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ।”
13“ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରିମାନ ନିର୍ମାଣ କରେ; ଯେ ବିନା ବେତନରେ ଆପଣା ପ୍ରତିବାସୀକୁ ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ;
14ଯେ କହେ, ‘ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା’ ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!