12ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।
13ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।
14ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେମାନେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”
15ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପିଅଛି।”
16ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।