6ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।
7ଏଣୁକରି ‘ସଦାପ୍ରଭୁ କହନ୍ତି, ଦେଖ, ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;’
8ମାତ୍ର ‘ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।”
9ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟ। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି।
10କାରଣ ଦେଶ ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।