12ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।
13ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।
14ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ଫେର; କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ; ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;
15ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।
16ସଦାପ୍ରଭୁ କହନ୍ତି, ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ।