12ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ।
13ସେତେବେଳେ କୁମାରୀଗଣ ନୃତ୍ୟରେ, ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ, କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା, ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା।
14ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
15ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ କଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି।”
16ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର; କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ, ଏହା ସଦାପ୍ରଭୁ କହନ୍ତି; ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ।