20ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର? ସେ କି ଆନନ୍ଦଦାୟୀ ବାଳକ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି।
21ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥ ଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର; ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜପଥରେ ମନୋନିବେଶ କର; ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ।
22ହେ ବିପଥଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ? କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।”
23ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: “ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, ‘ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’
24ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ।