1ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଦଶମ ବର୍ଷରେ, ଅର୍ଥାତ୍, ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଯେଉଁ ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
2ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।
3ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, “ତୁମ୍ଭେ କାହିଁକି ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଏହା କହୁଅଛ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ;
4ଆଉ, ଯିହୁଦାର ରାଜା ସିଦିକୀୟ କଲ୍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲର ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ତାହାର ଚକ୍ଷୁ ଦେଖିବ;