5ପୁଣି, ସେ ସିଦିକୀୟକୁ ବାବିଲକୁ ଘେନିଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”
6ଏଥିଉତ୍ତାରେ ଯିରିମୀୟ କହିଲେ, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
7ଦେଖ, ତୁମ୍ଭ ପିତୃବ୍ୟ ଶଲ୍ଲୁମ୍ର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, ‘ଅନାଥୋତ୍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ଆପଣା ପାଇଁ କ୍ରୟ କର; କାରଣ କ୍ରୟ ଦ୍ୱାରା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି।’
8ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋʼ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋʼ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।
9ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲଠାରୁ ଅନାଥୋତ୍ସ୍ଥିତ ସେହି କ୍ଷେତ୍ର କ୍ରୟ କରି ତହିଁର ମୂଲ୍ୟ ସତର ଶେକଲ ରୂପା ତୌଲି ତାହାକୁ ଦେଲି।