8ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା।
9ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।
10ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ
11ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବକାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।
12ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।