11ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବକାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।
12ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।
13ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗରସମୂହରେ, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ୍ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ।
14ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାର ସମୟ ଆସୁଅଛି।
15ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟବିଚାର ଓ ଧର୍ମ ପ୍ରଚଳିତ କରିବେ।