5ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ;
6ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।
7ହୋଇପାରେ, ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି।”
8ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।
9ଏଥିଉତ୍ତାରେ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ପଞ୍ଚମ ବର୍ଷର ନବମ ମାସରେ, ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୂଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ।